ସଂପନ୍ନ ହେଲା ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି
ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ସହର। ଦେବ ବିବାହ ପାଇଁ ଧୁମ୍ଧାମ୍ରେ ଚାଲିଛି ଆୟୋଜନ। ଶିବ-ପାର୍ବତୀ ବିବାହ ପୂର୍ବରୁ ଗତକାଲି ରାତିରେ ସମ୍ପନ୍ନ ହୋଇଛି ଦେବ ନିର୍ବନ୍ଧ କାର୍ଯ୍ୟ ପତରପେଣ୍ଡି। ପରମ୍ପରା ଅନୁସାରେ ନନ୍ଦପଡ଼ାର ବାଲୁଙ୍କେଶ୍ଵର ବାବାଙ୍କର ମନ୍ଦିରରୁ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରିଥିଲା।
ବିରାଟ ରୋଷଣୀରେ ବାଜା, ବାଣ ଓ ଲୋକ ନୃତ୍ୟ ସହ ସପ୍ତ ଋଷି ପଣ୍ଡିତ ମଣ୍ଡଳୀଙ୍କ ସହ ବର ପିତା କନ୍ୟା ଅନ୍ୱେଷଣରେ ବାହାରିଥିଲେ। ଶେଷରେ ଦେବୀ ପାର୍ବତୀଙ୍କ ପିତାଙ୍କ ଘରେ ପହଞ୍ଚିଥିଲେ।
ବିଧି ଅନୁସାରେ ସେଠାରେ ପହଞ୍ଚି ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞାସା କରିବା ସହ ମହାଦେବଙ୍କ ଗୁଣ କୀର୍ତ୍ତନ ପୂର୍ବକ ଦେବୀ ପାର୍ବତୀଙ୍କ ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଶେଷରେ ଉଭୟ ପକ୍ଷ ବିବାହ ପାଇଁ ସହମତ ହେବା ପରେ, ସର୍ଗି ପତ୍ର ବିଡା ଦେଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆଜି ହେବ ଦେବ ନିମନ୍ତ୍ରଣ।
245 total views

