ମୁମ୍ବାଇ କେବେ ନିରାଶ କରିନାହିଁ
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ପୁରୁଷ ବିଶ୍ବକପ-୨୦୨୪ ବିଜୟ ହାସଲ ପରେ ଜୁଲାଇ ୪ ତାରିଖରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ କ୍ରିକେଟ ଟିମ୍ର ଶାହୀ ସ୍ବାଗତ ହୋଇଛି। ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜରରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଗୁରୁବାର ଦିଲ୍ଲୀରେ ଅବତରଣ କରିଥିଲେ। ଏହା ପରେ ଟିମ୍ ଆଇଟିସି ମୌର୍ଯ୍ୟ ହୋଟେଲକୁ ଯାଇଥିଲେ। ସେଠାରୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ନିବାସରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲା ପରେ ଭାରତୀୟ ଟିମ୍ ପୁଣି ମୁମ୍ବାଇର ପହଞ୍ଚିଥିଲେ। ମୁମ୍ବଇରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ପରେଡ ଉତ୍ସବ ୱାଙ୍ଖେଡେ ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା। ଏଠାରେ ସେମାନେ ଏକ ଖୋଲା ବସ୍ରେ ଟ୍ରଫି ସହିତ ଯାତ୍ରା କରିଥିଲେ। ଲକ୍ଷଲକ୍ଷ ପ୍ରଶଂସକ ଭାରତୀୟ କ୍ରିକେଟ ଟିମ୍କୁ ସ୍ବାଗତ କରିଥିଲେ। ଏକ ବିଶାର ରୋଡ ଶୋ’ ପରେ ଭାରତୀୟ ଟିମ୍ର ୱାଙ୍ଖେଡେ ଷ୍ଟାଡିୟମରେ ସ୍ବାଗତ ହୋଇଥିଲା। ପୂରା ଷ୍ଟାଡିୟମ ଦର୍ଶକପୂର୍ଣ୍ଣ ଥିଲା। ଖେଳାଳିମାନେ ଷ୍ଟାଡିୟମ ଭିତରେ ଘୁରିଥିଲେ। ଏହି ଭିଡିଓକୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛି। ଏହି ଭିଡିଓରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କହୁଛନ୍ତି, ମା’ ତୁଝେ ସଲାମ୍…। ଏହାକୁ ଦେଖିଲେ ଯେ କୌଣସି ଭାରତୀୟଙ୍କ ଦୃଦୟ ତରଳି ଯିବ।
ୱାଙ୍ଖେଡେ ଷ୍ଟାଡିୟମରେ ବିଜୟ ପରେଡ ଅବସରରେ ରୋହିତ ଶର୍ମା କହିଛନ୍ତି, ଟିମ୍ ଓ ବିସିସିଆଇ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମେ ଯେତେବେଳେ ଭାରତରେ ପହଞ୍ଚିଲୁ, ଏହି ମୁହୂର୍ତ୍ତ ଥିଲା ସ୍ବତନ୍ତ୍ର। ଏହି ଟ୍ରଫି ପୂରା ଦେଶବାସୀଙ୍କ ପାଇଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ବଡ଼ ସମ୍ମାନର କଥା। ଆଜି ବହୁତ ଖୁସି ଅନୁଭବ କରୁଛି। ମୁମ୍ବାଇ କେବେ କାହାରିକୁ ନିରାଶ କରେ ନାହିଁ। ଆମକୁ ବହୁତ ଭବ୍ୟ ଶୈଳୀରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ମୁଁ ଖୁସି ଅନୁଭବ କରୁଛି। ରୋହିତ ନିଜର ସାଧୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଏହି ସମୟରେ ସେ ଉତ୍ସାହର ସହିତ ହାର୍ଦ୍ଦିକ…ହାର୍ଦ୍ଦିକ ଶ୍ଲୋଗାନ ଦେଇଥିଲେ। ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବୁକ ହୋଇଯାଇଥିଲେ।
ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ବକପ-୨୦୨୪ରେ ଭାରତୀୟ ଟିମ୍ ଗତ ଜୁନ ୨୯ ତାରିଖ (ଶନିବାର) ଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରିଥିଲା। ଏହି କଡ଼ାମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୧୭୭ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଟିମ୍ ୧୬୯ ରନ୍ରେ ଅଟକି ଯାଇଥିଲା।
56 total views