ଓଡ଼ିଶା

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ


ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆଜି ସକାଳ ୭ଟା ରୁ ୬ ଲୋକସଭା ଆସନ ଏବଂ ୪୨ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ବିଭିନ୍ନ ମତଦାରନ କେନ୍ଦ୍ରରେ ଭୋଟର ଲାଇନ୍‌ରେ ଛିଡା ହୋଇ ଶାନ୍ତିଶୃଙ୍ଖଳା ସହ ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ହେଉଛି ଭୋଟ ଗ୍ରହଣ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମୁଦାୟ ୧୦ ହଜାର ୫୫୧ ବୁଥ୍ ହୋଇଛି । ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ୩୫ ହଜାରରୁ ଅଧିକ ସୁରକ୍ଷା କର୍ମୀ ଓ ଯବାନଙ୍କୁ ମୁତୟନ କରାଯାଇଛି। ଏଥିରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌)ର ୧୨୧ କଂପାନି ଥିବା ବେଳେ ଓଡ଼ିଶା ସଶସ୍ତ୍ର ବାହିନୀର ୧୦୬ ପ୍ଲାଟୁନ ଫୋର୍ସ ଏବଂ ୧୯୮୬୫ ସିଭିଲ ପୁଲିସ କର୍ମଚାରୀ ସାମିଲ ଅଛନ୍ତି।ଏହି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ । ତନ୍ମଧ୍ୟରେ ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା ଅଛନ୍ତି। ତେବେ ଫୋକସରେ ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀ ଓ ସମ୍ବଲପୁର ରହିଛି । ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେଉଛି । ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହେଲ୍ପଡେସ୍କ କରାଯାଇ ସମସ୍ତ ସୂଚନା ଦିଆଯାଉଛି । ୧୫୦୦ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ସେହିପରି ୩୦ଟି ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଚଳିତ ପର୍ଯ୍ୟାୟରେ ପ୍ରାୟ ୨ ହଜାର ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସମସ୍ତ ପୋଲିଂ ଷ୍ଟେସନରେ ଜଣେ ଲେଖାଏ ସ୍ବେଚ୍ଛାସେବୀ ଓ ଜଣେ ଲେଖାଏ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।

 59 total views


Leave a Reply

Your email address will not be published. Required fields are marked *